mtimes odia
Home » ଦୀପାବଳି ପାଇଁ OSPCBର ଗାଇଡଲାଇନ୍, ବାରିୟମ୍ ବାଣ ବ୍ୟାନ୍

ଦୀପାବଳି ପାଇଁ OSPCBର ଗାଇଡଲାଇନ୍, ବାରିୟମ୍ ବାଣ ବ୍ୟାନ୍

ଦୀପାବଳି ୨୦୨୬ ପାଇଁ ଓଡ଼ିଶାରେ ବାଣ ଫୁଟାଇବା ନିୟମ ଜାରି କଲା OSPCB ଦୀପାବଳିରେ ବାଣ ଫୁଟାଇବାକୁ OSPCBର ନୂଆ ମାର୍ଗଦର୍ଶିକା।
Share this:
AI ମୁଖ୍ୟ ଖବର :
  • ବାରିୟମ୍ ଯୁକ୍ତ ବାଣ ଓ ନିଷିଦ୍ଧ ରାସାୟନିକ ବାଣ ଉପରେ କଟକଣା ଲାଗିଛି।
  • ଦୀପାବଳିରେ କେବଳ ସନ୍ଧ୍ୟା ୭ଟାରୁ ରାତି ୯ଟା ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି।
  • କେବଳ CSIR-NEERI ଅନୁମୋଦିତ QR କୋଡ୍ ଥିବା ଗ୍ରୀନ୍ କ୍ରାକର ବ୍ୟବହାର କରିପାରିବେ।

ଭୁବନେଶ୍ୱର: ଆଲୋକର ପର୍ବ ଦୀପାବଳିକୁ ପ୍ରଦୂଷଣମୁକ୍ତ ଓ ସୁରକ୍ଷିତ ଭାବେ ପାଳନ କରିବା ପାଇଁ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (OSPCB) ପକ୍ଷରୁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି। ବାୟୁ ଓ ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦେଇ ବାରିୟମ୍ ଯୁକ୍ତ ବାଣ ସମେତ ନିଷିଦ୍ଧ ରାସାୟନିକ ପଦାର୍ଥ ବ୍ୟବହାର ଉପରେ କଟକଣା ଲଗାଯାଇଛି। ଏଥର କେବଳ CSIR-NEERI ଦ୍ୱାରା ଅନୁମୋଦିତ ସବୁଜ ବାଣ ବିକ୍ରି ଓ ବ୍ୟବହାରକୁ ଅନୁମତି ମିଳିବ।

ସନ୍ଧ୍ୟା ୭ରୁ ରାତି ୯ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ଅନୁମତି

OSPCBର ନିର୍ଦ୍ଦେଶାବଳୀ ଅନୁଯାୟୀ, ଦୀପାବଳି ଦିନ କେବଳ ସନ୍ଧ୍ୟା ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ବାଣ ଫୁଟାଇପାରିବେ। ନିର୍ଦ୍ଧାରିତ ସମୟ ବାହାରେ ବାଣ ଫୁଟାଇବାକୁ ବାରଣ କରାଯାଇଛି।

ସେହିପରି ବାଣର ଶବ୍ଦ ତୀବ୍ରତା ୪ ମିଟର ଦୂରତାରେ ୧୨୫ ଡେସିବେଲ (dB-AI) ଅତିକ୍ରମ କରିବା ଉଚିତ ନୁହେଁ। ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ଏବଂ ତାଳଫୋଟକା ବା ଗାର୍ଲାଣ୍ଡ କ୍ରାକର ଉପରେ କଟକଣା ରହିଛି।

କେବଳ QR କୋଡ୍ ଥିବା ଗ୍ରୀନ୍ କ୍ରାକର ବ୍ୟବହାର କରନ୍ତୁ

ରାଜ୍ୟରେ କେବଳ CSIR-NEERI ଦ୍ୱାରା ଅନୁମୋଦିତ ଗ୍ରୀନ୍ କ୍ରାକର ବିକ୍ରି ଓ ବ୍ୟବହାର କରାଯାଇପାରିବ। ବାଣ କିଣିବା ପୂର୍ବରୁ ପ୍ୟାକେଟ୍‌ରେ CSIR-NEERI ଲୋଗୋ ଓ ବୈଧ QR କୋଡ୍ ରହିଛି କି ନାହିଁ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି।

ଏଥିସହ ବାରିୟମ୍ ଓ ଅନ୍ୟ ନିଷିଦ୍ଧ ରାସାୟନିକ ପଦାର୍ଥ ମିଶ୍ରିତ ବାଣର ଉତ୍ପାଦନ, ବିକ୍ରି ଓ ବ୍ୟବହାର ଉପରେ କଟକଣା ରହିଛି।

ଅନ୍ୟପଟେ, ଇ-କମର୍ସ ପ୍ଲାଟଫର୍ମ ମାଧ୍ୟମରେ ବାଣ ବିକ୍ରିକୁ ମଧ୍ୟ ବାରଣ କରାଯାଇଛି। ବାଣ ବିକ୍ରେତାମାନେ PESO ନିୟମ ଅନୁଯାୟୀ ଆବଶ୍ୟକ ଲାଇସେନ୍ସ ହାସଲ କରିବାକୁ ପଡ଼ିବ।

ହସ୍ପିଟାଲ ଓ ଶିକ୍ଷାନୁଷ୍ଠାନ ନିକଟରେ ବାଣ ଫୁଟାଇବା ମନା

ପ୍ରଦୂଷଣ ଓ ଶବ୍ଦ ନିୟନ୍ତ୍ରଣ ପାଇଁ କେତେକ ସମ୍ବେଦନଶୀଳ ଅଞ୍ଚଳକୁ ସାଇଲେନ୍ସ ଜୋନ୍ ଭାବେ ବିବେଚନା କରାଯାଇଛି।

ହସ୍ପିଟାଲ, ନର୍ସିଂହୋମ୍, ଶିକ୍ଷାନୁଷ୍ଠାନ, କୋର୍ଟ ଓ ଧାର୍ମିକ ସ୍ଥଳର ୧୦୦ ମିଟର ପରିଧି ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି ନାହିଁ।

ଏହାବ୍ୟତୀତ ଜନବସତି, ଚାଳଛପର ଘର, ଦୋକାନ ଓ ଅଗ୍ନିକାଣ୍ଡର ଆଶଙ୍କା ଥିବା ସ୍ଥାନରେ ବାଣ ଫୁଟାଇବାରୁ ନିବୃତ୍ତ ରହିବାକୁ ପରାମର୍ଶ ଦିଆଯାଇଛି।

ଶିଶୁଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ପରାମର୍ଶ

ବାଣ ଫୁଟାଇବା ସମୟରେ ସୁରକ୍ଷା ନିୟମ ପାଳନ କରିବାକୁ OSPCB ପରାମର୍ଶ ଦେଇଛି।

  • ୧୦ ବର୍ଷରୁ କମ୍ ଶିଶୁ ଅଭିଭାବକଙ୍କ ବିନା ବାଣ ଫୁଟାଇପାରିବେ ନାହିଁ।
  • ବାଣ ଫୁଟାଇବା ସମୟରେ ସୂତା ପୋଷାକ ପିନ୍ଧନ୍ତୁ।
  • ପାଖରେ ପାଣି କିମ୍ବା ବାଲି ଭର୍ତ୍ତି ବାଲ୍ଟି ରଖନ୍ତୁ।
  • ଜଳିନଥିବା ବାଣକୁ ପୁଣିଥରେ ଜଳାଇବାକୁ ଚେଷ୍ଟା କରନ୍ତୁ ନାହିଁ।
  • ଖୋଲା ଓ ସୁରକ୍ଷିତ ସ୍ଥାନରେ ବାଣ ଫୁଟାନ୍ତୁ।

ବାଣର ଧୂଆଁ ଓ ଶବ୍ଦରୁ ବରିଷ୍ଠ ନାଗରିକ, ଶ୍ୱାସକ୍ରିୟା ସମସ୍ୟା ଥିବା ବ୍ୟକ୍ତି ଏବଂ ଗୃହପାଳିତ ପଶୁପକ୍ଷୀଙ୍କୁ ଦୂରେଇ ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

ନିୟମ ଉଲ୍ଲଂଘନ କଲେ ହୋଇପାରେ ଦଣ୍ଡ

OSPCBର ଏହି ନିର୍ଦ୍ଦେଶାବଳୀ ଉଲ୍ଲଂଘନ କଲେ ଓଡ଼ିଶା ବାଣ ଓ ଲାଉଡସ୍ପିକର (ନିୟନ୍ତ୍ରଣ) ଅଧିନିୟମ, ୧୯୫୮ ଏବଂ ଶବ୍ଦ ପ୍ରଦୂଷଣ (ନିୟନ୍ତ୍ରଣ ଓ ପ୍ରଶମନ) ନିୟମ, ୨୦୦୦ ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରେ।

ନିୟମ ଉଲ୍ଲଂଘନ ସମ୍ପର୍କରେ କୌଣସି ଅଭିଯୋଗ ଥିଲେ ନିକଟସ୍ଥ ପୋଲିସ ଷ୍ଟେସନ କିମ୍ବା ଜିଲ୍ଲା ପ୍ରଶାସନକୁ ଜଣାଇବାକୁ କୁହାଯାଇଛି।

ପ୍ରଦୂଷଣମୁକ୍ତ ପରିବେଶ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଦୀପାବଳି ପାଳନ କରିବାକୁ ବୋର୍ଡ ପକ୍ଷରୁ ଆହ୍ୱାନ ଦିଆଯାଇଛି।

ଆହୁରି ପଢନ୍ତୁ | Low Pressure In Bay of Bengal: ବଙ୍ଗୋପସାଗରରେ ଘନୀଭୂତ ଲଘୁଚାପ, ପୁଣି ବାତ୍ୟା ଆଶଙ୍କା!

Amazon Online Shopping

Share this: