ନୂଆଦିଲ୍ଲୀ: ପରିବେଶକୁ ସୁରକ୍ଷିତ ରଖିବା ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ମଙ୍ଗଳବାର ଭିଡିଓ କନଫରେନ୍ସିଂ ଜରିଆରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଟୋରେଣ୍ଟ ଗ୍ୟାସର ୪୨ ଟି କମ୍ପ୍ରେସଡ୍ ନ୍ୟାଚୁରାଲ ଗ୍ୟାସ (CNG) ଏବଂ ୩ ଟି ସିଟି ଗେଟ୍ ଷ୍ଟେସନକୁ ଉତ୍ସର୍ଗୀକୃତ କରିଛନ୍ତି।
ଦେଶର ଗ୍ୟାସ ଭିତ୍ତିଭୂମିକୁ ମଜବୁତ୍ କରିବା ପାଇଁ ପାଇପଲାଇନର ଶିଳାନ୍ୟାସ ଓ ଟର୍ମିନାଲ (Terminal), ଗାସ କ୍ଷେତ୍ରରେ ୬୦ ବିଲିୟନ ଅର୍ଥାତ୍ ୪ ଲକ୍ଷ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ପୁଞ୍ଜିନିବେଶ କରାଯାଉଛି ବୋଲି ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି।
ଦେଶରେ ସିଟି ଗ୍ୟାସ ବିତରଣ (CGD) ନେଟୱାର୍କର ସଂପ୍ରସାରଣ ପାଇଁ ୮ ହଜାର କୋଟି ଟଙ୍କା ପୁଞ୍ଜିନିବେଶ କରାଯିବା ନେଇ ଟୋରେଣ୍ଟ ପକ୍ଷରୁ ଘୋଷଣା କରାଯାଇଥିବା ବେଳେ ଏହାକୁ ସ୍ୱାଗତ କରିଛନ୍ତି ଶ୍ରୀ ପ୍ରଧାନ। ସେ କହିଛନ୍ତି ଯେ ବିଗତ ୬ ବର୍ଷରେ ଦେଶରେ ସିଏନଜି ଷ୍ଟେସନ ଦୁଇ ଗୁଣା ହୋଇଛି।
୨୦୧୪ ରେ ଦେଶରେ ୯୩୮ ସିଏନଜି ଷ୍ଟେସନ ଥିବାବେଳେ ଏବେ ତାହା ବୃଦ୍ଧି ପାଇ ୨୩୦୦ ରେ ପହଁଚିଛି। ସେହିପରି ବହୁତ କମ୍ ସମୟ ମଧ୍ୟରେ ଦେଶରେ ଟୋରେଣ୍ଟ ପକ୍ଷରୁ ୧୦୦ ସିଏନଜି ଷ୍ଟେସନ ସ୍ଥାପନ କରାଯାଇଛି। ଦେଶରେ ପ୍ରାକୃତିକ ଗ୍ୟାସ ଭିତ୍ତିଭୂମିକୁ ସଂପ୍ରସାରଣ କରିବାରେ ଟୋରେଣ୍ଟ ଗ୍ୟାସର ଉଦ୍ୟମ ପ୍ରଶଂସନୀୟ।
ଆଜି ଉତ୍ତରପ୍ରଦେଶରେ ୧୪ଟି, ମହାରାଷ୍ଟ୍ରରେ ୮ଟି, ଗୁଜୁରାଟରେ ୬ଟି, ପଞ୍ଜାବରେ ୪ଟି, ତେଲେଙ୍ଗାନା ଏବଂ ରାଜସ୍ଥାନରେ ୫ଟି ଲେଖାଏଁ ସିଏନଜି ଷ୍ଟେସନର ଲୋକାର୍ପଣ କରାଯାଇଛି। ଏହାବ୍ୟତିତ ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଏବଂ ପଞ୍ଜାବରେ ଗୋଟିଏ ଲେଖାଁଏ ସିଟି ଗେଟ୍ ଷ୍ଟେସନ ଲୋକାର୍ପଣ କରାଯାଇଛି। ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ସମସ୍ତ ୪୨ଟି ସିଏନଜି ଷ୍ଟେସନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିରେ ଥିବା ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତିରେ ପରିଣତ କରିବାରେ ସହାୟକ ହେବ।
ଦେଶ ଗ୍ୟାସ ଆଧାରିତ ଅର୍ଥନୀତି ଦିଗକୁ ଅଗ୍ରସର ହେଉଥିବା ବେଳେ ଏହା ଦେଶର ଅଶୋଧିତ ତୈଳର ନିର୍ଭରତାକୁ ହ୍ରାସ କରିବ।
Also Read |Odisha:ପୋଷଣୀୟ କୃଷି ଲାଗି ୪ ବର୍ଷରେ ଓଡ଼ିଶାକୁ ମିଳିଛି ୭.୭୫ କୋଟି:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
