ଭୁବନେଶ୍ଵର (ମହିମା ଲାଇଭ): ଡିସେମ୍ବରରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ଆସିବାର ଆଶଙ୍କା ରହିଥିବାରୁ, ନଭେମ୍ବରରେ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ବର୍ତ୍ତମାନ ସ୍ଥଗିତ କରାଯାଇଛି। ସ୍କୁଲ ଖୋଲିବା ନିଷ୍ପତ୍ତି ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।
ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ନଭେମ୍ବରରେ ସ୍କୁଲ ଖୋଲିବା ନିମନ୍ତେ ପୂର୍ବରୁ ନିଷ୍ପତ୍ତି ନିଆଯାଇଥିବା ସତ୍ତ୍ୱେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଥିରେ ପରିବର୍ତ୍ତନ କରାଯାଉଛି। ସ୍ୱାସ୍ଥ୍ୟ ବିଭାଗର ପରବର୍ତ୍ତୀ କୋଭିଡ ଗାଇଡଲାଇନ୍କୁ ଅପେକ୍ଷା କରାଯାଇଛି।
ସୂଚନାଯୋଗ୍ୟ, ନଭେମ୍ବର ମାସ ୧୬ ତାରିଖ ପରେ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ୍ ଖୋଲିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଯେଉଁ ଛାତ୍ରଛାତ୍ରୀଙ୍କ ଅଭିବାବକ ସ୍କୁଲ୍ ଆସିବାକୁ ଛାଡ଼ିବେ ନାହିଁ ସେମାନଙ୍କ ପାଇଁ ଅନ୍ଲାଇନ୍ରେ ପାଠ ପଢ଼ାଯିବା ନିମନ୍ତେ ମଧ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।
ଗତ ବୁଧବାର ଡିସେମ୍ବରରେ କରୋନା ସଂକ୍ରମଣ ବଢ଼ିବା ଆଶଙ୍କା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେବା ସହ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଗଣଶିକ୍ଷା ବିଭାଗ ପକ୍ଷରୁ ନଭେମ୍ବରରେ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି।
Also Read| ଖୁବ ଶୀଘ୍ର ଦିଲ୍ଲୀ ‘କରୋନା କାପିଟାଲ’ ହେବାକୁ ଯାଉଛି: ଦିଲ୍ଲୀ ହାଇକୋର୍ଟ

