ଭୁବନେଶ୍ଵର: ଆଜି ହେଉଛି ଆନ୍ତର୍ଜାତିକ ଶ୍ରମିକ ଦିବସ (International Labour Day)। ରାଷ୍ଟ୍ର ନିର୍ମାଣ ଦିଗରେ ଶ୍ରମିକ ଓ ଶ୍ରମଜୀବୀ ମାନଙ୍କର ଯୋଗଦାନକୁ ସ୍ୱୀକୃତି ପ୍ରଦାନ କରି ଏହି ଦିବସ ବିଶ୍ୱବ୍ୟାପୀ ପାଳନ କରାଯାଉଛି। କାର୍ଯ୍ୟକ୍ଷେତ୍ରରେ ଶ୍ରମିକମାନଙ୍କର ସୁରକ୍ଷା, ଅଧିକାର ଓ ସ୍ୱାସ୍ଥ୍ୟ ରକ୍ଷା ଏହି ଦିବସ ପାଳନର ଆଭିମୁଖ୍ୟ।
ସୂଚନାଯୋଗ୍ୟ ଊନବିଂଶ ଶତାବ୍ଦୀରେ, ଶିଳ୍ପପତିମାନେ ଶ୍ରମିକ ଶ୍ରେଣୀକୁ ୧୫ଘଣ୍ଟା ପର୍ଯ୍ୟନ୍ତ କାମ କରି ଶୋଷଣ କରୁଥିଲେ। ଲୋକମାନେ ମନୋରଞ୍ଜନ ପାଇଁ ଦିନର ଏକ ତୃତୀୟାଂଶ ଏବଂ ବିଶ୍ରାମ ପାଇଁ ଅନ୍ୟ ଏକ ତୃତୀୟାଂଶ ପାଇଛନ୍ତି କି ନାହିଁ ନିଶ୍ଚିତ କରିବାକୁ ଆଠ ଘଣ୍ଟିଆ ଶ୍ରମିକ ଆନ୍ଦୋଳନ କରାଯାଇଥିଲା। ୧୮୮୬ ମସିହାରେ ଚିକାଗୋରେ ହେମାର୍କେଟ୍ ସମ୍ପର୍କକୁ ସ୍ମରଣ କରିବା ପାଇଁ ମେ ୧ ତାରିଖ ଚୟନ କରାଯାଇଥିଲା। ଏହି ଦିନ ପ୍ରଥମେ ୧୯୨୩ ମସିହାରେ ଚେନ୍ନାଇରେ ଭାରତରେ ପାଳନ କରାଯାଇଥିଲା, ଯାହା ସେତେବେଳେ ମାଡ୍ରାସ୍ ଭାବରେ ଜଣାଶୁଣା ଥିଲା। ଆମ ଦେଶରେ ୧୯୨୩ ମସିହାରେ ଲେବର କିଶାନ ପାର୍ଟି ଅଫ୍ ହିନ୍ଦୁସ୍ତାନ ଦ୍ୱାରା ପ୍ରଥମେ ଶ୍ରମିକ ଦିବସ ପାଳନ କରାଯାଇଥିଲା। କରୋନା କଟକଣା ମଧ୍ୟରେ ଆଜି ଏହି ଦିବସ ପାଳନ କରାଯାଉଛି।
ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜ୍ୟର ସମସ୍ତ ଶ୍ରମିକ ଭାଇଭଉଣୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରମିକ ଭାଇଭଉଣୀ ମାନଙ୍କୁ ଶୁଭକାମନା ଜଣାଇବା ସହ ଶ୍ରମିକ ସମାଜର କଲ୍ୟାଣ ଓ ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ରାଜ୍ୟ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ ଏବଂ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ମଇ ଦିବସ ଅବସରରେ ଶ୍ରମିକ ଭାଇଭଉଣୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
