ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଏବଂ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଅନୁଗୁଳ ଗସ୍ତ କରିଛନ୍ତି। ଅନୁଗୁଳ ରେଳ ଷ୍ଟେସନରେ ସମ୍ବଲପୁର-ଶାଲିମାର (କଲିକତା) ଏକ୍ସପ୍ରେସର (Mahima Gosain Express) ଶୁଭାରମ୍ଭ କାର୍ଯ୍ୟକ୍ରମରେ ତିନି କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତକା ଦେଖାଇ ଉଦଘାଟନ କରିଛନ୍ତି। ଏହି ଅବସରରେ ବଳରାମ କୋଲ ମାଇନ୍ସରୁ ଅନୁଗୋଳ ପର୍ଯ୍ୟନ୍ତ ରେଳ ଲାଇନର ଶୁଭାରମ୍ଭ ହୋଇଛି। ଅନୁଗୋଳ, ତାଳଚେର ଓ ଛେଣ୍ଡିପଦାକୁ ନେଇ ଏନର୍ଜି ସେଣ୍ଟର ହବ ତିଆରି କରିବାକୁ ଲକ୍ଷ ରହିଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
କେନ୍ଦ୍ରମନ୍ତ୍ରୀମାନେ ଅନୁଗୋଳରୁ ବଳରାମ କୋଇଲା ଖଣିକୁ ସଂଯୋଗ କରୁଥିବା ରେଳ ଲାଇନର ଶୁଭାରମ୍ଭ କରିଛନ୍ତି। ଅନୁଗୋଳ- ବଳରାମ ନୂଆ ରେଳ ଲାଇନ ଦ୍ୱାରା ତାଳେଚର ଓ ଅନୁଗୋଳ ମଧ୍ୟରେ ଏକ ରିଙ୍ଗ୍ ରୋଡ ସ୍ଥାପନ ହୋଇଛି । ଏ ଅଞ୍ଚଳରେ ଆଗାମୀ ଦିନରେ ପ୍ରାୟ ୨୫୦ ଏମଏମଟି କୋଇଲା ଉତ୍ପାଦନ, ୩୦ ଏମଟି ଲୁହା, ୨ ଏମଟି ଆଲୁମିନିୟମ ଓ ୩୦ ହଜାର ମେଗାଓ୍ୱାଟ ବିଜୁଳି ଉତ୍ପାଦନ ହେବ।
ଫଳରେ ବଳରାମ କୋଲ ମାଇନ୍ସରୁ ପ୍ରତ୍ୟକ୍ଷଭାବେ ରାଜ୍ୟର ବିଭିନ୍ନ ଶିଳ୍ପସଂସ୍ଥାକୁ ସହଜରେ କୋଇଲା ପରିବହନ ହୋଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

ଅନୁଗୋଳ, ତାଳଚେର ଆଉ ଛେଣ୍ଡିପଦାକୁ ନେଇ ଏକ ଶକ୍ତି କେନ୍ଦ୍ର କରିବା ପାଇଁ କେନ୍ଦ୍ରମନ୍ତ୍ରୀ କହିଛନ୍ତି। କୋଇଲା ପରି ସବୁ ଖଣିଜ ପଦାର୍ଥ ଯେପରି ବାଲିର ଗ୍ଲୋବାଲ ଟେଣ୍ଡର ମାଧ୍ୟମରେ ନିଲାମ ହେବ ସେଥିପାଇଁ କେନ୍ଦ୍ରରେ ପ୍ରସ୍ତାବ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ଅନୁଗୋଳ ଠାରେ ଗତିଶକ୍ତି ବିଶ୍ୱବିଦ୍ୟାଳୟର କୋଇଲା, ଖଣି ଓ ରେଳ ବିଭାଗର ଲଜିଷ୍ଟିକ ଓ ଆନୁଷଙ୍ଗିକ ଉପକ୍ରମର ଏକ ବିଭାଗ ଖୋଲାଯିବା ନେଇ କେନ୍ଦ୍ର ରେଳ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବାରୁ ସେ କେନ୍ଦ୍ରରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହା ତାଳଚେର,ଅନୁଗୋଳ ଅଞ୍ଚଳ ପାଇଁ ବେଶ୍ ଲାଭଦାୟକ ହେବ। ଅନୁଗୋଳବାସୀଙ୍କ କଲ୍ୟାଣ ସହ ସେମାନଙ୍କ ରୋଜଗାରକୁ ଧ୍ୟାନ ଦେବା ଆମର ଦାୟିତ୍ୱ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
Advertisement
ସେହିପରି ଭୁବନେଶ୍ୱର ରେଳଷ୍ଟେସନ ନବୀକରଣର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ଯୋଗ ଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, କେନ୍ଦ୍ରୀୟ ଅବହେଳା ରାଜ୍ୟ ସରକାର କହିବା ବନ୍ଦ କରନ୍ତୁ। ଭୁବନେଶ୍ଵରକୁ ବିଶ୍ଵର ସିଲିକନ୍ ସିଟି ବନେଇବା ପାଇଁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର।
ଆଜି ସକାଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ହାୱାଡ଼ା ଟ୍ରେନକୁ ମହିମା ଗୋସ୍ୱାଇଁଙ୍କ ନାମରେ ନାମିତ କରିବାକୁ ଭୁବନେଶ୍ଵର ଠାରେ ଦାବି କରିଥିଲେ।

