ଭୁବନେଶ୍ୱର : Odisha Winter Fog ଓଡିଶାରୁ ହଠାତ ଶୀତର ପ୍ରକୋପ କମିବାରେ ଲାଗିଛି। ଦିନରେ ଗରମ ଅନୁଭୂତ ହେଉଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ତାପମାତ୍ରାରେ କୌଣସି ପରିବର୍ତ୍ତନର ସମ୍ଭାବନା ନାହିଁ। ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲ୍ସିୟସ ବୃଦ୍ଧି ପାଇଛି। ବର୍ତ୍ତମାନ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ଉପରେ ରହିଛି।
ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ଭୁବନେଶ୍ଵର ସୂଚନା ଅନୁସାରେ, କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ୧୩.୨ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଥିବା ବେଳେ ସୁନ୍ଦରଗଡ଼ ୧୩.୨, ଝାରସୁଗୁଡ଼ାରେ ୧୩.୫ ଡିଗ୍ରୀ ସେଲ୍ସିୟସ ରେକର୍ଡ ହୋଇଛି। ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲ୍ସିୟସ ଉପରେ ରହିଛି।
Advertisement
ସୂଚନା ଯୋଗ୍ୟ ବାତ୍ୟା ମାଣ୍ଡୋସ କାରଣରୁ ବାୟୁମଣ୍ଡଳରେ ଜଳୀୟବାଷ୍ପ ରହିଛି। ଫଳରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇଛି। ଏହି ଜଳୀୟବାଷ୍ପ ବାଷ୍ପୀଭୂତ ହେବାକୁ ଆହୁରି ୭ରୁ ୮ ଦିନ ଲାଗିପାରେ। ପରବର୍ତ୍ତୀ ୪ ଦିନ ପରେ ରାଜ୍ୟରେ ତାପମାତ୍ରା କମିପାରେ। ଯାହା ଫଳରେ ଆସନ୍ତା ୨୧ ତାରିଖରୁ ପୁଣି ରାଜ୍ୟରେ ଶୀତ ବଢ଼ିବା ନେଇ ପୂର୍ବାନୁମାନ କରାଯାଇଛି।
ଗତକାଲି ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ନୂଆପଡ଼ା, କଳାହାଣ୍ଡି ଓ ବରଗଡ଼ ଆଦି ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହୋଇଥିବାର ସୂଚନା ରହିଛି।
ସେହିପରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ଅନୁଗୁଳ, ଢେଙ୍କାନାଳ ଓ କଟକ ଜିଲାର କେତେକ ସ୍ଥାନରେ କୁହୁଡ଼ି (Odisha Winter Fog) ହେବାର ସମ୍ଭାବନା ରହିଛି।

