ଭୂବନେଶ୍ଵର: ଦକ୍ଷିଣ ଓଡ଼ିଶା ଉପକୂଳ ଓ ଉତ୍ତର ଆନ୍ଧ୍ର ଅଞ୍ଚଳରେ ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି। ଫଳରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର କେତୋଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କେତକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି ଏବଂ ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସେହିପରି ବାଲେଶ୍ଵର, ମୟୁରଭଞ୍ଜ, କେନ୍ଦୁଝର, ପୁରୀ, କଟକ, ଖୋର୍ଦ୍ଧା, କଳାହାଣ୍ଡି, କନ୍ଧମାଳ ଏବଂ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବ। ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ଥିବାରୁ ବର୍ଷା ବଢିପାରେ।
