Home » ଇତିହାସରେ ପ୍ରଥମ ଥର ପାଇଁ ପୋଲିସକୁ ଜନସାଧାରଣଙ୍କ ସମର୍ଥନ ମିଳିଛି: ପୋଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ

ଇତିହାସରେ ପ୍ରଥମ ଥର ପାଇଁ ପୋଲିସକୁ ଜନସାଧାରଣଙ୍କ ସମର୍ଥନ ମିଳିଛି: ପୋଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ

Image Courtesy:Otv
Share this:

ଭୁବନେଶ୍ୱର : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ(PIB), ଭୁବନେଶ୍ୱର ପକ୍ଷରୁ “କୋଭିଡ-୧୯  ପରିଚାଳନାରେ ଅଗ୍ରଣୀ ଯୋଦ୍ଧାମାନଙ୍କ ଭୂମିକା” ଶୀର୍ଷକ ୱେବିନାର ଅନୁଷ୍ଠିତ ହୋଇଯାଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଓଡ଼ିଶା ପ୍ରାନ୍ତର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଶୈଳେଶ କୁମାର ମାଲବ୍ୟଙ୍କ ଅଧ୍ୟକ୍ଷତାରେ ଏହି ୱେବିନାର ଅନୁଷ୍ଠିତ ହୋଇଥିଲା।ୱେବିନାରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କଟକ-ଭୁବନେଶ୍ୱର ଦ୍ୱୈତନଗରୀ ପୋଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ।

ଶ୍ରୀ ମାଲବ୍ୟ କହିଥିଲେ ଯେ କରୋନା ମହାମାରୀର ମୁକାବିଲା କରିବାରେ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ପୋଲିସ କର୍ମଚାରୀ, ଆଶା, ଅଙ୍ଗନୱାଡ଼ି କର୍ମୀ, ଗଣମାଧ୍ୟମ ପ୍ରତିନିଧିମାନେ ଅଗ୍ରଣୀ ଯୋଦ୍ଧା ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ସେମାନେ ନିଜର ଜୀବନକୁ ବାଜି ଲଗାଇ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି।

ୱେବିନାରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କଟକ-ଭୁବନେଶ୍ୱର ଦ୍ୱୈତନଗରୀ ପୋଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ କହିଥିଲେ ଯେ ଆମେ ଏକ ଅପ୍ରତ୍ୟାଶିତ ସଙ୍କଟର ସମ୍ମୁଖୀନ ହେଉଛୁ। ଯେପର୍ଯ୍ୟନ୍ତ କରୋନା ମହାମାରୀର ଟିକା କିମ୍ବା ଔଷଧ ନବାହାରିଛି ସେପର୍ଯ୍ୟନ୍ତ ଆମ ସମସ୍ତଙ୍କୁ ସଂଯମ ହେବାକୁ ପଡ଼ିବ। ଇତିହାସରେ ପ୍ରଥମ ଥର ପାଇଁ ପୋଲିସକୁ ଜନସାଧାରଣଙ୍କ ସମର୍ଥନ ମିଳିଛି। ଅଳ୍ପ କିଛି ଲୋକଙ୍କୁ ଛାଡ଼ି ଦେଲେ ଅଧିକାଂଶ ଲୋକ ପୋଲିସକୁ ସହଯୋଗ କରୁଛନ୍ତି। ଲକଡାଉନ ଓ ସଟଡାଉନ ନିୟମକୁ ମାନିଛନ୍ତି। ଜନସାଧାରଣ ସଚେତନ ରହିବା ସହିତ ମାସ୍କ ପିନ୍ଧି, ସାମାଜିକ ଦୂରତା ରକ୍ଷା କରି ଏବଂ ଘରେ ରହି ନିୟମକୁ ପାଳିଛନ୍ତି। ଯେଉଁମାନେ ନିୟମ ମାନୁନାହାନ୍ତି ଆମେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛୁ। ଆମେ ଆଇନ ଶୃଙ୍ଖଳା, ସାମାଜିକ ଦୂରତାକୁ ବଜାୟ ରଖିବା ଦିଗରେ କାର୍ଯ୍ୟ କରିଛୁ। ସବୁକିଛି ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରାଯାଉଛି ଯାହା ଫଳରେ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀମାନେ ସେମାନଙ୍କର କାମ ସୂଚାରୁ ରୂପେ କରିପାରିବେ।

ଡ. ଷଡ଼ଙ୍ଗୀ ଆହୁରି କହିଥିଲେ ଯେ ଆମେ ଜନସାଧାରଣଙ୍କ ସମସ୍ୟା ପ୍ରତି ମଧ୍ୟ ଧ୍ୟାନ ଦେଇଛୁ। ଲୋକଙ୍କ ନିକଟରେ ଜରୁରି ସାମଗ୍ରୀ ପହଁଚିବା କ୍ଷେତ୍ରରେ କୌଣସି ପ୍ରତିବନ୍ଧକ ନାହିଁ। ଲକଡାଉନ ସମୟରେ ୨ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ଆମେ ଖାଦ୍ୟ ଦେଇଛୁ। ଯେଉଁମାନେ କିଛି ଅସୁବିଧାରେ ପଡ଼ିଛନ୍ତି, କମିଶନରେଟ ପୋଲିସ ସେମାନଙ୍କୁ ସହାୟତା ଯୋଗାଇ ଦେଇଛି। ତେବେ ଲୋକମାନେ ନିଜେ ସଚେତନ ରହି ସ୍ୱେଚ୍ଛାକୃତ ଭାବେ ନିୟମ ମାନିବାର ଆବଶ୍ୟକତା ରହିଛି। ସେହିପରି କରୋନା ମହାମାରୀ ସମୟରେ ଆଗଧାଡ଼ିରେ ରହି ଦାୟିତ୍ୱ ସମ୍ପାଦନ କରୁଥିବା ପୋଲିସ କର୍ମଚାରୀମାନଙ୍କ ସୁରକ୍ଷା ପ୍ରସଙ୍ଗରେ ଶ୍ରୀ ଷଡ଼ଙ୍ଗୀ କହିଥିଲେ ଯେ ଆମର ପୋଲିସ କର୍ମଚାରୀଙ୍କ ସୁରକ୍ଷା ପାଇଁ ଯେଉଁସବୁ ପଦକ୍ଷେପ ନିଆଯାଇଛି ତାହା ଅନ୍ୟମାନଙ୍କ ପାଇଁ ଅନୁକରଣୀୟ। ଦୁଇ ସହରରେ ୮ ହଜାରରୁ ଊର୍ଦ୍ଧ୍ଵ ପୋଲିସ କର୍ମଚାରୀ ରହିଥିଲେ ମଧ୍ୟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବା ଯୋଗୁ ମାତ୍ର ଦୁଇରୁ ତିନି ଜଣ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ବୟସ୍କ ଏବଂ ପୂର୍ବରୁ କୌଣସି ରୋଗ ଥିବା କର୍ମଚାରୀଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି ବୋଲି ସେ କହିଥିଲ।

ୱେବିନାର ଅବସରରେ ବିଶେଷଜ୍ଞମାନେ ଅଂଶଗ୍ରହଣକାରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ପିଆଇବିର ଗଣ ଯୋଗାଯୋଗ ଅଧିକାରୀ ଡ. ପ୍ରଦୀପ ଚୌଧୁରୀ ଏହି ୱେବିନାରକୁ ପରିଚାଳନା କରିଥିବା ବେଳେ ବହୁ ଗଣମାଧ୍ୟମ ବୁଦ୍ଧିଜୀବୀ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଅଧିକାରୀ ଓ କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀ ଓ ଗବେଷକମାନେ ଏଥିରେ ଅଂଶଗ୍ରହଣ କରିଥିଲେ।

From The Web

Share this: