ନୂଆଦିଲ୍ଲୀ :ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ(NFDC) ପ୍ରଥମ ଥର ପାଇଁ ଏକ ଅନ୍ଲାଇନ ଦେଶାତ୍ମବୋଧକ ଚଳଚ୍ଚିତ୍ର ଉତ୍ସବ ଆୟୋଜନ କରୁଛି। ଆସନ୍ତାକାଲିଠାରୁ ଏହା ଆରମ୍ଭ ହେବ। ଚଳିତବର୍ଷର ସ୍ୱାଧୀନତା ଦିବସ ପାଳନର ଏହା ଏକ ଅଂଶବିଶେଷ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆନୁକୂଲ୍ୟରେ ଏହା ଆୟୋଜିତ ହେଉଛି।
ଏହା ଅଗଷ୍ଟ ୭ ରୁ ଆରମ୍ଭ ହୋଇ ୩ ସପ୍ତାହ ଚାଲିବ ଏବଂ ଅଗଷ୍ଟ ୨୧ ରେ ଉଦ୍ଯାପିତ ହେବ। ଏଥିରେ ଭାରତୀୟ ଇତିହାସରେ ସ୍ୱାଧୀନତା ସଂଗ୍ରାମୀମାନଙ୍କର ବୀରତ୍ୱର କାହାଣୀ ପ୍ରଦର୍ଶିତ ହେବା ସହିତ ସମଗ୍ର ବିଶ୍ୱରେ ଥିବା ଭାରତୀୟଙ୍କ ମଧ୍ୟରେ ଏକ ଦେଶାତ୍ମବୋଧକ ଓ ଉତ୍ସବଜନିତ ଭାବନା ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଛି। ଦୈନିକ ଏଥିରେ ଅତି ଉଚ୍ଚମାନର ଦେଶାତ୍ମବୋଧ ଓ ସ୍ୱାଧୀନତା ଦିବସ ସଂକ୍ରାନ୍ତ ବାର୍ତ୍ତା ଥିବା ଚଳଚ୍ଚିତ୍ରମାନ ହିଁ ପ୍ରଦର୍ଶିତ ହେବ। ଏହାକୁ ବିନା ମୂଲ୍ୟରେ www.cinemasofindia.com ରେ ଦେଖିହେବ। ହିନ୍ଦୀ, ମରାଠି, ତେଲୁଗୁ, ତାମିଲ, ବାଂଲା, ଗୁଜରାଟୀ, ମାଲାୟଲମ ସମେତ ବିଭିନ୍ନ ଭାରତୀୟ ଭାଷାରେ ନିର୍ମିତ ଉଚ୍ଚମାନର ଦେଶାତ୍ମବୋଧ ଚଳଚ୍ଚିତ୍ର ଏଥିରେ ସ୍ଥାନ ପାଇବ।

ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ, ଭାରତୀୟ ଜାତୀୟ ଚଳଚ୍ଚିତ୍ର ଅଭିଲେଖ, ଭାରତୀୟ ଶିଶୁ ଚଳଚ୍ଚିତ୍ର ସୋସାଇଟି ଏବଂ ଫିଲ୍ମ ଡିଭିଜନ ଆଦିରୁ ଏଥିପାଇଁ ଉତ୍ତମ ମାନର ଚଳଚ୍ଚିତ୍ରମାନ ବଛାଯାଇଛି ।ଆହୁରି ମଧ୍ୟ ପ୍ରଥମଥର ପାଇଁ ୧୯୮୨ ରେ ସାର୍ ରିଚାର୍ଡ ଆଟେନ୍ବରୋଙ୍କ ଦ୍ୱାରା ନିର୍ମିତ ଗାନ୍ଧୀ ଚଳଚ୍ଚିତ୍ର ଏଥିରେ ପ୍ରଦର୍ଶିତ ହେବ। ବଡ଼ କଥା ହେଉଛି ଦୃଶ୍ୟ ଓ ଶ୍ରବଣ ବାଧିତ ଲୋକମାନେ ମଧ୍ୟ ଏହି ଚଳଚ୍ଚିତ୍ର ଉପଭୋଗ କରିବାର ସୁବିଧା କରାଯାଇଛି।
ଏଥିପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୱେବସାଇଟ mib.gov.in ରେ ଏ ସଂକ୍ରାନ୍ତ ଲିଙ୍କ୍ ପ୍ରଦାନ କରାଯିବ। ଏହାଛଡା ପିଆଇବି ଦ୍ୱାରା ପରିଚାଳିତ ସୋସିଆଲ ମିଡିଆ ଓ ମାଇ ଗଭ୍ରେ(my gov ) ମଧ୍ୟ ଉପଲବ୍ଧ ହେବ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ଲିଙ୍କକୁ ବିଭିନ୍ନ ଦେଶରେ ଥିବା ଭାରତୀୟ ଦୂତାବାସକୁ ଯୋଗାଇ ଦିଆଯିବ।


