ଭୁବନେଶ୍ଵର: କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଆଗାମୀ ଦୁଇ ଦିନ ମଧ୍ୟରେ ଉତ୍ତର-ପଶ୍ଚିମ ଏବଂ ପରବର୍ତ୍ତୀ ୩ ଦିନ ପାଇଁ ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି।ଏହାର ପ୍ରଭାବରେ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।
ପ୍ରବଳ ବର୍ଷା ଯୋଗୁଁ ପ୍ରସ୍ତୁତ ରହିବା ପାଇଁ ଜିଲ୍ଲାପାଳମାନଙ୍କୁ ସ୍ୱତନ୍ତ୍ର ରିଲିଫ୍ କମିଶନର ନିର୍ଦ୍ଦେଶ ଦେଇଛି। ଏହାଛଡା ବର୍ଷା ଓ ବଜ୍ରପାତ ସହ ଘଂଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନେ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ ଏବଂ ଗଞ୍ଜାମ ଜିଲ୍ଲା ଉପରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ଉପକୂଳ ଓଡିଶା ସମେତ ନବରଙ୍ଗପୁର, ମାଲକାନଗିରି, କୋରାପୁଟ, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ଏହିସବୁ ଜିଲ୍ଲାଗୁଡିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି।
Also Read | HCNG : ଆବଶ୍ୟକତା ପୂରଣ ପାଇଁ ସ୍ୱଚ୍ଛ ଏବଂ ନିର୍ଭରଯୋଗ୍ୟ ଉର୍ଜା ଯୋଗାଣ ସରକାରଙ୍କ ପ୍ରାଥମିକତା-ଧର୍ମେନ୍ଦ୍ର ପ୍ରଧାନ

